ଗଞ୍ଜେଇ କାହିଁକି ଶିବଙ୍କ ପ୍ରିୟ ?

0

ଶିବାଳୟରେ ଗଞ୍ଜେଇ ନିଷିଦ୍ଧ ହେବାକୁ ନେଇ ସାରା ଓଡ଼ିଶାରେ ବିତର୍କ ଚାଲିଛି । କିଛି ଲୋକ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ସମର୍ଥନ କରୁଛନ୍ତି । ଆଉ କିଛି ଲୋକ ଏହାକୁ ସମର୍ଥନ କିମ୍ବା ବିରୋଧ କରୁନଥିଲେ ବି ଏହା ଏକ ଅନାବଶ୍ୟକ ଆଦେଶ ବୋଲି କହୁଛନ୍ତି । ଏହି ବିତର୍କରେ କେତେକ ରାଜନେତା ବି ନିଜର ମତ ରଖିଛନ୍ତି ।

ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକମାନେ କହୁଛନ୍ତି ଯେ ଗଞ୍ଜେଇ ଓ ଭାଙ୍ଗ ଶୈବ ପରମ୍ପରା ସହ ପ୍ରାଚୀନ କାଳରୁ ଜଡ଼ିତ । ଏହାକୁ ନିଷିଦ୍ଧ କରିବା ଏହି ପରମ୍ପରା ଓ ସଂସ୍କୃତି ବିରୋଧୀ । କଂଗ୍ରେସ ନେତା ସୁର ରାଉତରାୟ ଓ ପୂର୍ବତନ ସାଂସଦ ତଥାଗତ ଶତପଥୀ କହିଛନ୍ତି ଯେ ଶିବ ମନ୍ଦିରରେ ଏବଂ ତ୍ରିନାଥ ମେଳାରେ ଗଞ୍ଜେଇ ଏକ ନିଶାଦ୍ରବ୍ୟ ନୁହେଁ, ଏକ ପ୍ରସାଦ ଭାବେ ଅର୍ପଣ କରାଯାଇଥାଏ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ଲୋକମାନେ କହୁଛନ୍ତି ଯେ ଶିବଙ୍କ ସହ ଗଞ୍ଜେଇର କୌଣସି ସମ୍ପର୍କ ନାହିଁ । ଅନନ୍ତ ବଳିଆ ଟ୍ରଷ୍ଟ ଟ୍ରଷ୍ଟ ପକ୍ଷରୁ କୁହାଯାଉଛି ଯେ, ଭଗବାନ ଶିବ କେବେ ଗଞ୍ଜେଇ ସେବନ କରନ୍ତି ନାହିଁ, ଏହା ଏକ ଅନ୍ଧବିଶ୍ୱାସ

କିନ୍ତୁ ସତରେ କଣ ଶୈବ ପରମ୍ପରା ସହ ଗଞ୍ଜେଇ ଓ ଭାଙ୍ଗର କୌଣସି ସମ୍ପର୍କ ନାହିଁ ? ଯଦି ଆମେ ଶାସ୍ତ୍ରପୁରାଣକୁ ଦେଖିବା, ତେବେ ସନାତନ ସଂସ୍କୃତିରେ ଗଞ୍ଜେଇ ଓ ଭାଙ୍ଗର ଗୁରୁତ୍ବକୁ ଜାଣିପାରିବା ।

ଅଥର୍ବ ବେଦ ଅନୁସାରେ ଗଞ୍ଜେଇ ଗଛ 5ଟି ପବିତ୍ର ଗୁଳ୍ମ ମଧ୍ୟରୁ ଅନ୍ୟତମ ଯାହାକି ଆନନ୍ଦ ଓ ଶାନ୍ତି ପ୍ରଦାନ କରେ । ଏହାର ଔଷଧୀୟ ଗୁଣ ରହିଥିବା ଏଥିରେ ଦର୍ଶାଯାଇଛି ।

ସେହିପରି ପୁରାଣରେ ଗଞ୍ଜେଇକୁ ଶିବଙ୍କ ସହ ଯୋଡ଼ାଯାଇଛି । ପୁରାଣର ପ୍ରସିଦ୍ଧ ସମୁଦ୍ର ମନ୍ଥନ ଆଖ୍ୟାନ ଅନୁସାରେ ସମୁଦ୍ର ମନ୍ଥନରୁ ହଳାହଳ ବିଷ ନିର୍ଗତ ହେବା ପରେ ଜଗତ ରକ୍ଷା ପାଇଁ ଭଗବାନ ଶିବ ତାହାକୁ ସେବନ କଲେ ଓ ନୀଳକଣ୍ଠ ନାମ ଗ୍ରହଣ କଲେ । କିନ୍ତୁ ହଳାହଳ ସେବନ ପରେ ତାହାର ପୀଡ଼ା ଅସହ୍ୟ ହେବାରୁ ଦେବତାମାନେ ତାଙ୍କୁ ଗଞ୍ଜେଇ ଅର୍ପଣ କରିଥିଲେ । ଗଞ୍ଜେଇ ସେବନ କରିବା ପରେ ମହାଦେବଙ୍କ କଷ୍ଟ ଲାଘବ ହୋଇଥିଲା ଓ ସେ ଆନନ୍ଦ ପାଇଥିଲେ ।

ଅନ୍ୟ ଏକ ଆଖ୍ୟାନ ଅନୁସାରେ ଥରେ ମହାଦେବ ମାତା ପାର୍ବତୀଙ୍କ ସହ ବିବାଦ ପରେ ରାଗିଯାଇ କୈଳାଶରୁ ପଳାଇଯାଇ ଏକ ଜଙ୍ଗଲରେ ଥିବା ଗଞ୍ଜେଇ ଗଛ ତଳେ ଶୋଇପଡ଼ିଥିଲେ । ନିଦ ଭାଙ୍ଗିବା ପରେ ତାଙ୍କୁ ଭୋକ ଲାଗିଥିଲା । ଏଣୁ ସେ ଗଞ୍ଜେଇ ପତ୍ର ସେବନ କରିଥିଲେ । ଏହାକୁ ସେବାନ କରିବା ପରେ ସେ ଅତ୍ୟନ୍ତ ଶାନ୍ତି ଓ ଆନନ୍ଦ ଅନୁଭବ କରିଥିଲେ । ସେହିଦିନଠାରେ ଗଞ୍ଜେଇ ଶିବଙ୍କ ପ୍ରିୟ ହୋଇଯାଇଥିଲା ।

କେବଳ ଭାରତ ନୁହେଁ, ନେପାଳର ଶୈବପୀଠଗୁଡ଼ିକରେ ବି ଗଞ୍ଜେଇର ପ୍ରବଳ ପ୍ରଚଳନ ରହିଛି । ନେପାଳର ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ଗଞ୍ଜେଇ ଚିଲମଧାରୀଙ୍କ ଏକ ଭୂସ୍ବର୍ଗଭାବେ ପରିଚିତ ।

 

 

 

Leave A Reply

Your email address will not be published.