ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ଋଣଧାରୀ ଆଶ୍ବସ୍ତ

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ଋଣଧାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ( ଏମପିସି) ସର୍ବସମ୍ମତିକ୍ରମେ ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରେପୋ ରେଟ୍ ୬.୫ ପ୍ରତିଶତରେ ରହିଛି। ଲଗାତାର ୬ ଥର ରେପୋ ରେଟ୍ ବୃଦ୍ଧି କରିବା ପରେ ଆରବିଆଇ ଏଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।

ତେବେ ଆଗାମୀ ବୈଠକରେ ଆବଶ୍ୟକ ପଡ଼ିଲେ ଏମ୍ ପିସି ପରବର୍ତ୍ତୀ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି। କେବଳ ଏହି ବୈଠକ ପାଇଁ ରେପୋ ରେଟ୍ ବୃଦ୍ଧି ନ କରିବାକୁ ଏମ୍ ପିସି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଅର୍ଥାତ୍ ଆଗାମୀ ଦିନରେ ଯଦି ଆରବିଆଇ ଆବଶ୍ୟକତା ଅନୁଭବ କରେ ତେବେ ରେପୋ ରେଟ୍ ବୃଦ୍ଧି କରିପାରେ। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଏପ୍ରିଲ ୩, ୫ ଓ ୬ତାରିଖରେ ବସିଥିଲା।

ଅର୍ଥନୈତିକ ଅଭିବୃଦ୍ଧି ୬.୫ ପ୍ରତିଶତ ରହିପାରେ 

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆରବିଆଇ ଆକଳନ କରିଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହୋଇପାରେ। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ, ଦ୍ବିତୀୟ ତ୍ରୟମାସରେ ୬.୨ ପ୍ରତିଶତ, ତୃତୀୟ ତ୍ରୟମାସରେ ୬.୧ ପ୍ରତିଶତ ଏବଂ ତୃତୀୟ ତ୍ରୟମାସରେ ୫.୯ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।

Leave A Reply

Your email address will not be published.