ଏକାଠି ନିର୍ବାଚନ ଲଢିବେ ଅଶୋକ ଗେହଲୋଟ-ସଚିନ ପାଇଲଟ୍

0

ନୂଆଦିଲ୍ଲୀ : ରାଜସ୍ଥାନରେ କଂଗ୍ରେସ ସଙ୍କଟ ବର୍ତ୍ତମାନ ପାଇଁ ଆପତତଃ ଶାନ୍ତ ପଡ଼ିଯାଇଛି । ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟ ରାଜସ୍ଥାନ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବାକୁ ରାଜି ହୋଇଛନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୁଝାମଣା ହୋଇଥିଲା। ଏହି ବୈଠକରେ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ ।

ଗେହଲଟ ଓ ପାଇଲଟ ଦୀର୍ଘ ଦିନ ପରେ ଦଳର ପ୍ରମୁଖ ନେତାଙ୍କ ସାମ୍ନାରେ ମୁହାଁମୁହିଁ ହୋଇଥିଲେ। ରାଜସ୍ଥାନରେ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଓ କଳହ ଏତେ ବଢିଯାଇଥିଲା ଯେ ଦଳୀୟ ହାଇକମାଣ୍ଡଙ୍କୁ ଉଭୟଙ୍କୁ ଦିଲ୍ଲୀ ଡାକିବାକୁ ପଡିଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ କେସି ବେଣୁଗୋପାଳ କହିଛନ୍ତି, ଆମେ ଏକାଠି ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ରାଜସ୍ଥାନରେ ଆମେ ନିଶ୍ଚିତ ଜିତିବୁ। ଅଶୋକ ଗେହଲଟ ଓ ସଚିନ ପାଇଲଟ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି । ପାଇଲଟଙ୍କ ଚେତାବନୀ ପରେ ଦଳର ହାଇକମାଣ୍ଡଙ୍କ ସହ ରାଜସ୍ଥାନର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଚଳିତ ମାସ ଶେଷ ସୁଦ୍ଧା ଯଦି ତାଙ୍କର ୩ଟି ଦାବି ପୂରଣ ନହୁଏ ତେବେ ସେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପାଇଲଟ୍ କହିଛନ୍ତି। ପୂର୍ବ ବସୁନ୍ଧରା ରାଜେ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ପାଇଲଟ ଚାହୁଁଛନ୍ତି ।

Leave A Reply

Your email address will not be published.