ଭୟଙ୍କର ରେଳ ଦୁର୍ଘଟଣା : ମୃତ୍ୟୁସଂଖ୍ୟା 238, ଆହୁରି ବଢିବା ଆଶଙ୍କା, ଆଜି ଆସିବେ ମୋଦୀ

0

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 238 ଟପିଯାଇଛି । ସେହିପରି 900 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। କେତେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ତେବେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ସରକାରୀ ତଥ୍ୟ ତୁଳନାରେ ପ୍ରକୃତ ମୃତ୍ୟୁସଂଖ୍ୟା ଢେର ଅଧିକ ରହିଛି ଓ ଏପରିକି ତାହା 500 ଟପିପାରେ ।

କୋରୋମାଣ୍ଡେଲ ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହେବା ପରେ ଦ୍ୱିତୀୟ ଲାଇନରେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଟ୍ରେନ ସହ ଧକ୍କା ହୋଇଥିଲା । ଯେଉଁଥିପାଇଁ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିଶନର (ସିଆରଏସ୍) ଏଏମ୍ ଚୌଧୁରୀ ଏହି ବଡ଼ ରେଳ ଦୁର୍ଘଟଣାର ତଦନ୍ତ କରିବେ ।

ଶନିବାର ସକାଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡିଶା ଯିବେ ବୋଲି ଖବର ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ବାଲେଶ୍ୱରରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ପରେ କଟକ ଯାଇ ଏସସିବି ଯାଇ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିପାରିବେ ।

Leave A Reply

Your email address will not be published.