ବାଗୀ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଅକଳରେ ବିଜେଡ଼ି (ଭିଡିଓ)

0

ଓଡ଼ିଶା ରାଜନୀତିରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଗଷ୍ଟ 25 ତାରିଖ ଦିନ ଗୋପାଳପୁରଠାରେ ହୋଇଥିବା 5ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜନଶୁଣାଣି ଓ ଉକ୍ତ ସଭାକୁ ଯାଉଥିବାବେଳେ ପ୍ରଦୀପଙ୍କ ଉପରକୁ ବିଜେଡ଼ି କର୍ମୀଙ୍କ ଅଣ୍ଡାମାଡ଼କୁ ନେଇ ରାଜ୍ୟ ରାଜନୀତି ହଠାତ୍ ଗରମ ହୋଇଯାଇଛି । ପ୍ରଦୀପଙ୍କ ଉପରକୁ ଅଣ୍ଡାମାଡ଼ ଓ ପରେ ସଚିବଙ୍କ ଦ୍ବାରା ପରୋକ୍ଷ ଆକ୍ଷେପ ପ୍ରଦୀପଙ୍କୁ ଚର୍ଚ୍ଚାର କେନ୍ଦ୍ରକୁ ନେଇଆସିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଦୀପ ହିରୋ ନା ଭିଲେନ ? ଏହାର ଉତ୍ତର ମିଳିବା ସହଜ ନୁହେଁ, ଏହାର ଉତ୍ତର ଜନସାଧାରଣ ହିଁ ଦେବେ ।

5ଟି ସଚିବ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଲଗାଇଛନ୍ତି ତାହା ବେଶ ସଂଗୀନ । ସାଧାରଣତଃ 5ଟି ସଚିବ ରାଜନୈତିକ ଆକ୍ଷେପ କିମ୍ବା କୌଣସି ଜନପ୍ରତିନିଧିଙ୍କୁ କେବେ ମଧ୍ୟ ସର୍ବସାଧାରଣରେ ସମାଲୋଚନା କରିନଥାନ୍ତି । କିନ୍ତୁ ସେ ନାଁ ନ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି, ସେଥିରେ ଯଦି ସତ୍ୟତା ଥାଏ, ତାହା ବେଶ ସାଂଘାତିକ କଥା ହେବ । କରୋନା ସମୟରେ ରାଜ୍ୟବାହାରେ ଥିବା ଲୋକଙ୍କ ନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ସିଧାସଳଖ ଲୋକଙ୍କ ପ୍ରତି ବିଶ୍ବାସଘାତକତା ବୋଲି କୁହାଯିବ ।

ଅନ୍ୟପକ୍ଷରେ ସଚିବଙ୍କ ଜନଶୁଣାଣିକୁ ଯିବାକୁ ପ୍ରଦୀପ ଦିନକ ଆଗରୁ ଘୋଷଣା କରିଥିଲେ । ଜଣେ ସ୍ଥାନୀୟ ଜନପ୍ରତିନିଧି ହିସାବରେ ସେ ସେଠାକୁ ଯିବା ତାଙ୍କ ଅଧିକାରଭୁକ୍ତ । ଏ ସଂପର୍କରେ ସେ ମଧ୍ୟ ଡିଜିପି, ଖୋର୍ଦ୍ଧା ଓ ଗଞ୍ଜାମ ଏସପିଙ୍କୁ ସୂଚୀତ କରିଥିଲେ ଓ ସୁରକ୍ଷା ମାଗିଥିଲେ । କିନ୍ତୁ ତାଙ୍କୁ ଉକ୍ତ ସଭାକୁ ଯିବାକୁ ଦିଆଗଲା ନାହିଁ । ବାଟରେ ହିଁ ତାଙ୍କ କାର ଉପରକୁ ଅଣ୍ଡାମାଡ଼ କରାଗଲା, ଆକ୍ରମଣ କରାଗଲା । ଏସବୁ ଘଟିଥିଲା ପୁଲିସ ଉପସ୍ଥିତିରେ । ଏଣୁ ଏହି ଘଟଣା ମଧ୍ୟ ଜନସାଧାରଣଙ୍କ ଦୃଷ୍ଟିରେ ତାଙ୍କୁ ଜଣେ ହିରୋ ଭାବେ ସଜାଇପାରେ । ସେ ଆଗକୁ ଯାଇପାରିନଥିଲେ ବି ବେଶ ସୁନ୍ଦର ଢଙ୍ଗରେ ନିଜର ବିରୋଧକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପହଞ୍ଚାଇଦେଲେ । ବିଜେଡ଼ି କର୍ମୀଙ୍କୁ ପ୍ରଦୀପ ଏକୁଟିଆ ଯେପରି ମୁକାବିଲା କଲେ ତାହା ତାଙ୍କ ଭାବମୂର୍ତ୍ତୀକୁ ବଢାଇଦେଇଛି । ଶାସକ ଦଳର ଅଧିକାଂଶ ଜନପ୍ରତିନିଧି ଚୁପ ଥିବାବେଳେ ଏକୁଟିଆ ପ୍ରଦୀପଙ୍କ ସାହସକୁ ସବୁଆଡ଼େ ତାରିଫ କରାଯାଉଛି ।

ପ୍ରଦୀପ ଯଦି ଜନଶୁଣାଣି ସଭାକୁ ଯାଇଥାନ୍ତେ ଓ ସେଠାରେ ଲୋକମାନେ ତାଙ୍କୁ ବିରୋଧ କରିଥାନ୍ତେ, ତେବେ କଥା ଅଲଗା ଥିଲା । ଲୋକମାନେ ତାଙ୍କୁ ବିରୋଧ କରୁଛନ୍ତି ବୋଲି କୁହାଯାଇଥାନ୍ତା । ଯଦି ବିଜେଡ଼ି କହୁଛି ଯେ ତାଙ୍କ ପଛରେ ଜନସମର୍ଥନ ନାହିଁ, ତେବେ ସେ ସଭାକୁ ଯାଇଥିଲେ କଣ ବା କରିପାରିଥାନ୍ତେ ? କିନ୍ତୁ ତାଙ୍କୁ ଯେପରି ସେଠାକୁ ଯିବାକୁ ଦିଆଗଲା ନାହିଁ ଓ ବାଟରୁ ହିଁ ବଳପ୍ରୟୋଗ କରି ବିଜେଡ଼ି କର୍ମୀମାନେ ଅଟକାଇଦେଲେ, ତାହାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଆଗକୁ ନିର୍ବାଚନ ଥିବାବେଳେ ଗଞ୍ଜାମକୁ ନେଇ ବିଜେଡ଼ି ଅକଳରେ ପଡ଼ିଯାଇଛି । ଏପରି ସ୍ଥିତିରେ ପ୍ରଦୀପ ବିଜେଡ଼ି ପାଇଁ ମୁଣ୍ଡବ୍ୟଥା ସାଜିପାରନ୍ତି । ତେବେ ଏହା ସ୍ପଷ୍ଟ ଯେ ପ୍ରକୃତ ଲଢେଇ ଭୋଟ ମୈଦାନରେ ହିଁ ହେବ । ନିର୍ବାଚନ ପରେ ହିଁ ଜଣାପଡ଼ିବ ଯେ ପ୍ରଦୀପ ହିରୋ ନା ଭିଲେନ ।

Leave A Reply

Your email address will not be published.