ନୂଆ ବନାମ ପୁରୁଣା ଆୟକର ବ୍ୟବସ୍ଥା : ଟିଡିଏସ୍ କାଟିବା ପୂର୍ବରୁ ନିଯୁକ୍ତିଦାତା କର୍ମଚାରୀଙ୍କ ମତାମତ ନେବେ

0

 ନୂଆଦିଲ୍ଲୀ: ଟିଡିଏସ୍ କାଟିବା ନେଇ ନିଯୁକ୍ତିଦାତାମାନେ ନିଜ କର୍ମଚାରୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିବାକୁ ପଡ଼ିବ। ଏଣିକି ନିଯୁକ୍ତିଦାତା ମାନେ ମନଇଚ୍ଛା ଏହା କରିପାରିବେ ନାହିଁ । ଏହି ସ୍ପଷ୍ଟୀକରଣ ଆୟକର ବ୍ୟବସ୍ଥା (ନୂଆ କିମ୍ବା ପୁରୁଣା ବ୍ୟବସ୍ଥା)  ବିକଳ୍ପ ଉପରେ ସହମତି ଭିତ୍ତିକ ହେବା ଆବଶ୍ୟକ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ମଧ୍ୟ ଏ ନେଇ ଗାଇଡଲାଇନ ଜାରି କରିଛି ।

ଅର୍ଥ ମନ୍ତ୍ରଣାଳୟ ଟିକସଦାତାଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଦୁଇଟି ଟିକସ ବ୍ୟବସ୍ଥାର ବିକଳ୍ପ ଦେଇଛି। ଟିକସଦାତାମାନେ ଏହି ଟିକସ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ବାଛିପାରିବେ । ନୂଆ ଟିକସ ସ୍ଲାବ୍ ଡିଫଲ୍ଟ ହୋଇଥିବାରୁ ପୁରୁଣା ଟିକସ ବ୍ୟବସ୍ଥାର ଟିକସ ସ୍ଲାବ୍ କୁ ପସନ୍ଦ କରୁଥିବା ବେତନଭୋଗୀ ଟିକସଦାତାଙ୍କୁ ପୁରୁଣା ଟିକସ ବ୍ୟବସ୍ଥା ବାଛିବାକୁ ପଡ଼ିବ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କହିଛି ଯେ ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀଙ୍କୁ ଟିକସ ବ୍ୟବସ୍ଥା ବାଛିବା ବିଷୟରେ ସ୍ପଷ୍ଟ କରିବା ଉଚିତ ଏବଂ ତାପରେ ହିଁ ଟିଡିଏସ୍ କାଟିବା ଉଚିତ୍ । କାରଣ ପୁରୁଣା ଟିକସ ବ୍ୟବସ୍ଥାରେ ପୁଞ୍ଜିନିବେଶ ଉପରେ ରିହାତି ଓ ଛାଡ଼ ସୁବିଧା ପୂର୍ବଭଳି ରହିବ। ତେବେ ନୂଆ ଟିକସ ବ୍ୟବସ୍ଥାରେ ଟିକସ ସ୍ଲାବ୍ କମ୍ ଥିଲେ ମଧ୍ୟ ଏଥିରେ କୌଣସି ରିହାତି ନାହିଁ। କିନ୍ତୁ ନିଯୁକ୍ତିଦାତା ଏ ସମ୍ପର୍କରେ ନିଜେ ନିଷ୍ପତ୍ତି ନ ନେଇ କର୍ମଚାରୀଙ୍କ ମତାମତ ନେବା ଆବଶ୍ୟକ ।

ଏଭଳି ସ୍ଥିତିରେ ଯଦି ଚାକିରି କରୁଥିବା ଟିକସଦାତାମାନେ ନିବେଶ ଅଧୀନରେ ରିହାତିର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ପୁରୁଣା ଟିକସ ବ୍ୟବସ୍ଥା ବାଛିବାକୁ ପଡ଼ିବ। ଯଦି ସେମାନେ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଏଡ଼ାଇବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଏକ ନୂତନ ଟିକସ ବ୍ୟବସ୍ଥା ବାଛିବାକୁ ପଡ଼ିବ। ତେଣୁ ନିଯୁକ୍ତିଦାତାମାନେ ଟିଡିଏସ୍ କାଟିବା ପୂର୍ବରୁ ଟିକସ ବ୍ୟବସ୍ଥା ବାଛିବା ନିଷ୍ପତ୍ତି ସମ୍ପର୍କରେ ସେମାନଙ୍କ କର୍ମଚାରୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିବା ଆବଶ୍ୟକ।

 

ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ସ୍ଲାବ୍ ଏବଂ ଟିକସ ହାର

·         ୦-୩ ଲକ୍ଷ ଟଙ୍କାର ଆୟ ଉପରେ ଟିକସ ହାର ଶୂନ ପ୍ରତିଶତ

·         ୩-୬ ଲକ୍ଷ ଟଙ୍କା ଉପରେ ୫ ପ୍ରତିଶତ ଟିକସ

·         ବାର୍ଷିକ ୬-୯ ଲକ୍ଷ ଟଙ୍କା ଉପରେ ୧୦% ଟିକସ

·         ୯ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫% ଟିକସ ଲାଗୁ

·         ବାର୍ଷିକ ୧୨ରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୦% ଟିକସ

·         ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୦% ଟିକସ

 

ପୁରୁଣା ଟିକସ ବ୍ୟବସ୍ଥା ଅଧୀନରେ ଟିକସ ସ୍ଲାବ୍ ଏବଂ ଟିକସ ହାର

·         ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୂନ ପ୍ରତିଶତ ଟିକସ

·         ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୫% ଟିକସ

·         ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ

·         ୧୦ ଲକ୍ଷ ଟଙ୍କାରୁ ଅଧିକ ବାର୍ଷିକ ଆୟ ଉପରେ ୩୦% ଟିକସ

Leave A Reply

Your email address will not be published.