ଅକଳରେ ରାଜ୍ୟ ବିଜେପି ନେତା !

0

ଭୁବନେଶ୍ବର : ଗତ ସପ୍ତାହରେ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ତଥା କେନ୍ଦ୍ର ସରକାରରେ ନଂ2 କୁହାଯାଉଥିବା ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କେବଳ ବିରୋଧୀ ଦଳ ନୁହେଁ, ଓଡ଼ିଶା ଭାଜପା ନେତାମାନଙ୍କୁ ମଧ୍ୟ  ଅକଳରେ ପକାଇଦେଇଛି । କିଛିଦିନ ତଳେ ରାଜ୍ୟ ଭାଜପାର ପ୍ରମୁଖ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଯେଉଁଭଳିଭାବେ କଡ଼ା ସମାଲୋଚନା କରୁଥିଲେ ତାହା ଦେଖିଲେ ଜଣାପଡ଼ୁଥିଲା ଯେ ଆଗାମୀ ନିର୍ବାଚନରେ ବିଜେପି ଏକ ଭିନ୍ନ ରଣନୀତି ନେଇ ଚାଲୁଛି । ଅର୍ଥାତ୍ ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ ଏକ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ ।

କିନ୍ତୁ ନିକଟରେ ସଂସଦରେ ଦିଲ୍ଲୀ ସେବା ବିଲ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡ଼ିର ସମର୍ଥନ ଓ ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଅମିତ ଶାହାଙ୍କ ସମର୍ଥନ ରାଜ୍ୟ ବିଜେପି ନେତାଙ୍କୁ ଅକଳରେ ପକାଇଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗ ନେଇ ଲୋକମାନଙ୍କ ନିକଟରେ ପହଞ୍ଚିବେ ତାହା ରାଜ୍ୟ ବିଜେପି ନେତାମାନେ ଜାଣିପାରୁନାହାନ୍ତି । ଯେଉଁ 5ଟି ସଚିବଙ୍କୁ ରାଜ୍ୟ ବିଜେପି ନେତାମାନେ ସମାଲୋଚନା କରୁଥିଲେ, ତାଙ୍କ ସହ ଖୋଦ ଅମିତ ଶାହା ଗୋପନ ଆଲୋଚନା କରିଥିବା କୁହାଯାଉଛି । ଏଣୁ ସଚିବଙ୍କ ବିରୋଧରେ ରାଜ୍ୟ ବିଜେପି ନେତାମାନେ ଆଣିଥିବା ବିଭିନ୍ନ ଅଭିଯୋଗର ଭବିଷ୍ୟତ କଣ ହେବ ତାହା ରାଜ୍ୟବାସୀ ଜାଣିସାରିଲେଣି ।

ଅନ୍ୟପକ୍ଷରେ ଆଦର୍ଶବାଦୀ ରାଜନୀତି କରିବା ଅପେକ୍ଷା ବାସ୍ତବବାଦୀ ରାଜନୀତି କରିବାରେ ସିଦ୍ଧହସ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେଠାରୁ ଜାଣିସାରିଲେଣି ଯେ 2024ରେ ହେବାକୁ ଥିବା ନିର୍ବାଚନର ଫଳାଫଳ କଣ ହେବ । ଏକଥା ଖୋଦ ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ ସୂଚାଇ ଦେଇଛନ୍ତି । ଏଣୁ ସେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ବାଧୀନ ସରକାରକୁ ବିରୋଧ କରିବା ଅପେକ୍ଷା ଖୋଲାଖୋଲି ସହଯୋଗର ହାତ ବଢାଇଛନ୍ତି । କାରଣ ସେ ଜାଣନ୍ତି କେନ୍ଦ୍ରରେ ଥିବା ଏକ ଶକ୍ତିଶାଳୀ ସରକାରକୁ ବିରୋଧ କରି ନା ତାଙ୍କ ଦଳର ନା ଓଡ଼ିଶାର କୌଣସି ସ୍ବାର୍ଥସାଧନ ହେବ ।

ସେପଟେ କେନ୍ଦ୍ରରେ ଥିବା ବିଜେପି ସରକାର ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଏକ ପୁରୁଣା ସହଯୋଗୀ ଦଳ ବିଜେଡିକୁ ହାତଛାଡ଼ା କରିବାକୁ ଚାହୁଁନାହିଁ । କାରଣ ବିପକ୍ଷ ଇଣ୍ଡିଆ ମେଣ୍ଟକୁ ବିଜେପି ହାଲକା ଭାବେ ନେବାକୁ ଚାହୁଁନାହିଁ । ଏଣୁ ସାଧାରଣ ନିର୍ବାଚନ ପୂର୍ବରୁ ପୁରୁଣା ଏନଡିଏ ସହଯୋଗୀଙ୍କୁ ଏକାଠି କରିବାରେ ଲାଗିଛି ।

ଏଣୁ ଉଭୟ ଅମିତ ଶାହା ଓ ନବୀନ ପଟ୍ଟନାୟକ ପରସ୍ପରକୁ ଖୋଲାଖୋଲି ପ୍ରସଂଶା କରୁଛନ୍ତି ଓ ସହଯୋଗର କଥା କହୁଛନ୍ତି । କିନ୍ତୁ ଏପରି ସ୍ଥିତିରେ ରାଜ୍ୟ ବିଜେପି ନେତାମାନେ ପୁଣି ଥରେ ଅକଳରେ ପଡ଼ିଯାଇଛନ୍ତି ।

 

 

 

Leave A Reply

Your email address will not be published.