ଭାରତର ସଫଳତା, ସବୁ ସଦସ୍ୟଙ୍କ ସହମତିରେ ନୂଆଦିଲ୍ଲୀ ଜି-20 ଘୋଷଣାପତ୍ର ଗୃହୀତ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଦିଲ୍ଲୀ ଘୋଷଣାନାମାକୁ ଶତ ପ୍ରତିଶତ ସହମତିରେ ସମସ୍ତ ଦେଶ ଗ୍ରହଣ କରିଛନ୍ତି।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘ଆମ ଦଳର କଠିନ ପରିଶ୍ରମ ଏବଂ ଆପଣଙ୍କ ସମର୍ଥନ ଯୋଗୁଁ ନୂଆଦିଲ୍ଲୀ ଜି-20 ଲିଡର୍ସ ଘୋଷଣାପତ୍ର ଉପରେ ସହମତି ହୋଇପାରିଛି ଏବଂ ମୁଁ ଏହି ଇସ୍ତାହାରକୁ ଗ୍ରହଣ କରାଯାଇଥିବା ଘୋଷଣା କରୁଛି। ‘

ସାମ୍ପ୍ରତିକ ବର୍ଷଗୁଡ଼ିକରେ ସଦସ୍ୟମାନଙ୍କ ମଧ୍ୟରେ ସହମତି ଦିନକୁ ଦିନ କଷ୍ଟକର ହୋଇପଡ଼ିଥିବା ଆଜିର ଘୋଷଣାପତ୍ର ଗୃହୀତ ହେବା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଗତ ବର୍ଷ ଭାରତ ଯେତେବେଳେ ଇଣ୍ଡୋନେସିଆଠାରୁ ଜି-20ର ସଭାପତିତ୍ବ ଗ୍ରହଣ କରିଥିଲା, ସେତେବେଳେ ବିଶ୍ବରେ ରୁଷ-ୟୁକ୍ରେନ ଯୁଦ୍ଧର ଘନଘଟା ଆରମ୍ଭ ହୋଇଯାଇଥିଲା । ପୁଣି ଜଳବାୟୁ ପରିବର୍ତ୍ତନ ଉପରେ ବି ସହମତି ଆସୁନଥିଲା । ଏଣୁ ନୂଆଦିଲ୍ଲୀ ଜି-20 ସମ୍ମିଳନୀରେ ସର୍ବସହମତି ଆସିବା କଷ୍ଟକର ବୋଲି ଆଶଙ୍କା କରାଯାଉଥିଲା । ଜି-20 ଶର୍ପା ଅମିତାଭ କାନ୍ତ କହିଛନ୍ତି ଯେ ନୂଆଦିଲ୍ଲୀ ଘୋଷଣାନାମା ଉପରେ ସଦସ୍ୟ ଦେଶମାନଙ୍କ ସହ ୨୦୦ ଘଣ୍ଟା ଧରି ଆଲୋଚନା ହୋଇଥିଲା। ରୁଷ୍ ଓ ଚୀନ୍ ସହ ଅଲଗା ଅଲଗା ଲମ୍ବା ଆଲୋଚନା ହୋଇଥିଲା, ଯାହା ପରେ ଶୁକ୍ରବାର ରାତିରେ ଚୂଡ଼ାନ୍ତ ଡ୍ରାଫ୍ଟ ରେ ସହମତି ହୋଇଥିଲା।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଘୋଷଣାପତ୍ର ଜାରି ହେବା ଗୋଟିଏ କଥା ଓ ଘୋଷଣାପତ୍ରକୁ ପାଳନ କରିବା ଆଉଗୋଟିଏ କଥା । ଘୋଷଣାପତ୍ର କେତେ କାର୍ଯ୍ୟକାରୀ ହେଉଛି ତାହା ଆଗକୁ ଜଣାପଡିବ ।

Leave A Reply

Your email address will not be published.